
the new Egg Price will take effect from the 15th
ଅଣ୍ଡା (Egg)ଉତ୍ପାଦନରେ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିବା ପାଇଁ ରାଜି ହୋଇଛି ଜାତୀୟ ଅଣ୍ଡା ସମନ୍ୱୟ ସମିତି (ଏନ୍ଇସିସି) । ଏ ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ଗ୍ରହଣ କରି ଚଳିତ ମାସ 15 ତାରିଖରୁ ହିଁ ସଂଶୋଧିତ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରିବା ପାଇଁ ଏନ୍ଇଇସିସି ନିଜର ସମସ୍ତ ଆଞ୍ଚଳିକ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି ।
ସୂଚନା ଅନୁଯାୟୀ, ଏଥିସହ ଅନ୍ୟ ପ୍ରମୁଖ ଦାବି ପୂରଣ ପାଇଁ ପଦକ୍ଷେପ ନେବା ଲାଗି ଏନ୍ଇସିସି ପ୍ରତିଶ୍ରୁତି ଦେଇଛି । ଏହି ପରିପ୍ରେକ୍ଷୀରେ ୬ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଥିବା ନିଖିଳ ଓଡ଼ିଶା ଲେୟର୍ ଫାର୍ମର୍ସ ଆସୋସିଏସନ୍(ଓଲ୍ଫା) ଆନ୍ଦୋଳନକୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛି । ପ୍ରତିଶ୍ରୁତି ଅନୁସାରେ ଏନ୍ଇସିସି ପଦକ୍ଷେପ ଗ୍ରହଣ ନ କଲେ ପୁଣି ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।
ଏନ୍ଇସିସିର ମୁଖ୍ୟ ପରିଚାଳନା ଅଧିକାରୀ ଏଝିଲ ଆନ୍ନାମାଲାଇ କୁମାର ଆଜି ରାଜ୍ୟ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ (Minister of Agriculture & Farmers' Empowerment Arun Kumar Sahoo)ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସଚିବ ଓ ଓଲ୍ଫାର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ପରେ ଅଣ୍ଡା ଚାଷୀମାନଙ୍କ ଦାବି ପୂରଣ ସଂକ୍ରାନ୍ତରେ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି । ଅଣ୍ଡା ଚାଷୀମାନଙ୍କୁ ଆର୍ଥିକ କ୍ଷତିରୁ ସୁରକ୍ଷା ଦେବା ପାଇଁ ଏନ୍ଇସିସି ପ୍ରସ୍ତୁତ ଅଛି । ଅଣ୍ଡାର ଉତ୍ପାଦନ ମୂଲ୍ୟକୁ ଦୃଷ୍ଟିରେ ରଖି ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରିବା ପାଇଁ ଜୋନ୍ସ୍ତରୀୟ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯିବ ଓ ଏହା ଚଳିତ ମାସ ୧୫ ତାରିଖରୁ ଲାଗୁ କରାଯିବ ବୋଲି ଶ୍ରୀ କୁମାର ଜଣାଇଛନ୍ତି । ଏହା ସହ ଆନ୍ଧ୍ର ପ୍ରଦେଶର କୁକୁଡ଼ା ଚାଷୀଙ୍କ ମୂଲ୍ୟ ନିର୍ଦ୍ଧାରଣକୁ ପଦ୍ଧତିକୁ ବାଦ୍ ଦିଆଯାଇ ବିଜୟୱାଡ଼ା ଓ ବ୍ରହ୍ମପୁର ଜୋନ୍ ଅଧ୍ୟକ୍ଷଙ୍କ ସହ ଏନ୍ଇସିସି ପକ୍ଷରୁ ମିଳିତ ଭାବେ ଆଲୋଚନା କରାଯିବ । ଏ ଦିଗରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।
ସେହିପରି ମୂଲ୍ୟ ଘୋଷଣାରେ ପାରଦର୍ଶିତା ଅବଲମ୍ବନ ନିମନ୍ତେ ଜୋନାଲ କମିଟି ସଦସ୍ୟ ଏବଂ ସ୍ଥାନୀୟ କମିଟି ସଦସ୍ୟଙ୍କୁ ନେଇ ଗଠିତ ମୂଲ୍ୟାୟନ କମିଟିର ସୁପାରିସ ଅନୁସାରେ ପ୍ରତ୍ୟେକ ଜୋନ୍ ପକ୍ଷରୁ ନୂଆ ମୂଲ୍ୟ (ଯଦି ଥାଏ) ପ୍ରସ୍ତାବ ଗ୍ରହଣ କରାଯିବ। ଷ୍ଟାଣ୍ଡାର୍ଡ ପ୍ରାଇସିଂ କମିଟି ଢାଞ୍ଚା ଅନୁକରଣ ପାଇଁ ସମସ୍ତ ଜୋନ୍ ଅଧ୍ୟକ୍ଷଙ୍କୁ ଏନ୍ଇସିସି ଅନୁରୋଧ କରିବ । ଏଥିସହ ସଂଘର ଅନ୍ୟ ଦାବି ପ୍ରତି ଏନ୍ଇସିସି ଗୁରୁତ୍ୱର ସହ ବିଚାର କରିବ ବୋଲି ଶ୍ରୀ କୁମାର କହିଛନ୍ତି । ଏହି ପରିପ୍ରେକ୍ଷୀରେ ଅଟକି ରହିଥିବା ଅଣ୍ଡା (Egg)ଗାଡ଼ିଗୁଡ଼ିକୁ ତୁରନ୍ତ ପଶ୍ଚିମବଙ୍ଗ ଅଭିମୁଖେ ଛାଡ଼ିବା ପାଇଁ ଏନ୍ଇସିସି ସିଓଓ ଅନୁରୋଧ କରିଛନ୍ତି । ଏନ୍ଇସିସିର ପ୍ରତିଶ୍ରୁତି ପରେ ଅଣ୍ଡାଚାଷୀମାନେ ରୋକିଥିବା ପ୍ରାୟ ୨୦୦ ଅଣ୍ଡା ଟ୍ରକ୍କୁ ପଶ୍ଚିମବଙ୍ଗ ଅଭିମୁଖେ ଯିବା ପାଇଁ ଛାଡ଼ିଛନ୍ତି ।
ପ୍ରକାଶ ଥାଉ ଯେ, ଗୋଟିଏ ଅଣ୍ଡା ଉତ୍ପାଦନ ଲାଗି ୪ ଟଙ୍କା ୭୦ ପଇସା ଖର୍ଚ୍ଚ ହେଉଥିବା ବେଳେ ଚାଷୀମାନେ ଅଣ୍ଡା ପିଛା ୩ ଟଙ୍କା ୭୫ ପଇସାରୁ ୩ ଟଙ୍କା ୮୦ ପଇସାରେ ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି । ଗୋଟିଏ ପଟେ ଅଣ୍ଡା ଦର (Egg Price)ବଢ଼଼ୁ ନଥିବା ବେଳେ କୁକୁଡ଼ା ଚିଆଁ, ସେମାନଙ୍କର ଖାଦ୍ୟ ଓ ଆନୁଷଙ୍ଗିକ ଖର୍ଚ୍ଚ ବଢ଼ି ଚାଲିଛି । ଫଳରେ କୁକୁଡ଼ା ଚାଷୀ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟରେ ୨୦୦ରୁ ଅଧିକ ବୃହତ ଲେୟର ଫାର୍ମ ଥିବା ବେଳେ ଆର୍ଥିକ କ୍ଷତି ପରିମାଣ ମଧ୍ୟ ବହୁତ ଅଧିକ ରହିଛି ।
ଓଡ଼ିଶା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଆଉ ୬ ମାସ ମିଳିବ ମାଗଣା ଚାଉଳ
Share your comments