
healthy and tasty millet Biscuits Recipe
ସରକାର ବର୍ଷ ୨୦୨୩କୁ ମାଣ୍ଡିଆ ବା ମିଲେଟ୍ ବର୍ଷ(Millet Year-2023) ଭାବେ ଘୋଷଣା କରିବା ପରେ ଏବେ ସବୁ ମହଲରେ ମାଣ୍ଡିଆର ଚାହିଦା ବଢ଼ିବାରେ ଲାଗିଛି । ମାଣ୍ଡିଆର ପାରମ୍ପାରିକ ରେସିପି(Traditional Recipe) ସହ ଏବେ ମାଣ୍ଡିଆରେ ନୂଆ ନୂଆ ଖାଦ୍ୟ ପଦାର୍ଥ ତିଆରି କରୁଛନ୍ତି ଲୋକେ । ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଆଙ୍କ ଦ୍ୱାରା ତିଆରି ହେଉଥିବା ମାଣ୍ଡିଆରୁ ଉତ୍ପାଦିତ ଖାଦ୍ୟ ପଦାର୍ଥ ସବୁଆଡ଼େ ଚର୍ଚ୍ଚା ସାଉଣ୍ଟୁଛି । ଏ ନେଇ ସରକାର ମଧ୍ୟ ମାଣ୍ଡିଆ ଚାଷୀ, ମାଣ୍ଡିଆ ବ୍ୟବସାୟୀ ଓ ଏଥିରୁ ଖାଦ୍ୟ ପଦାର୍ଥ ତିଆରି କରି ବ୍ୟବସାୟ କରୁଥିବା ଲୋକଙ୍କୁ ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି ।
ତେବେ ପୂର୍ବରୁ ଆମେ ମାଣ୍ଡିଆରେ ତିଆରି ଲଡ଼ୁ, କେକ୍ ଓ ସୁଜିର ରେସିପି ବା ପ୍ରସ୍ତୁତି ପ୍ରଣାଳୀ କହିଥିଲୁ , ଆଜି ଆମେ ଆପଣଙ୍କୁ ସିଖାଇବୁ ମାଣ୍ଡିଆରେ ତିଆରି ବିସ୍କୁଟ । ବିସ୍କୁଟ ଏକ ଏମିତି ଏକ ସୁଖିଲା ଖାଦ୍ୟ ପଦାର୍ଥ ଯାହାକୁ ଆବାଳ-ବୃଦ୍ଧ-ବନୀତା ସମସ୍ତେ ଖାଇବାକୁ ପସନ୍ଦ- କରନ୍ତି । ସକାଳେ ସଞ୍ଜରେ ଚା’ ବା କଫି ପିଇବା ବେଳେ ହେଉ କିମ୍ବା କାର୍ଯ୍ୟ ବ୍ୟସ୍ତତା ଭିତରେ ଭୋକ ଲାଗିଲେ ଆମେ ସମସ୍ତେ ପାଖରେ ବିସ୍କୁଟଟିକୁ ଖୋଜି ଥାଉ ।ହେଲେ ବିସ୍କୁଟରେ ଥିବା ମଇଦା ଅଂଶ ଆମ ସ୍ୱାସ୍ଥ୍ୟ ପ୍ରତି ହାନୀକାରକ ହୋଇଥାଏ ।ମାତ୍ର ମାଣ୍ଡିଆରେ ତିଆରି ବିସ୍କୁଟ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ହୀତକାରକ ଓ ପାଟି ପାଇଁ ସ୍ୱାଦିଷ୍ଟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତୀ ପ୍ରଣାଳୀ ।
ମାଣ୍ଡିଆ ବିସ୍କୁଟ ତିଆରି ପାଇଁ ଆବଶ୍ୟକୀୟ ସାମଗ୍ରୀ-
- ୧ କପ୍ ମାଣ୍ଡିଆ
- ୧/୨ କପ୍ ଗୁଣ୍ଡ ହୋଇଥିବା ଗୁଡ଼
- ୪ ଚାମଚ୍ ଗୁଆ ଘିଅ
- ଅଳ୍ପ କିଛି ଆଲମଣ୍ଡ
- ୧ ଚାମଚ ବେକିଂ ସୋଢ଼ା
- ଥଣ୍ଡା ହୋଇଥିବା କ୍ଷୀର
- ଅଳ୍ପ ଅଟା
ଏବେ ଆସନ୍ତୁ ଜାଣିବା ମାଣ୍ଡିଆ ବିସ୍କୁଟର ପ୍ରସ୍ତୁତୀ ପ୍ରଣାଳୀ:-
- ପ୍ରଥମେ ଏକ ପ୍ୟାନକୁ ହାଲୁକା ଆଞ୍ଚରେ ବସାଇ ସେଥିରେ ଗୁଡ଼ ପକାନ୍ତୁ ଏବଂ ଗୁଡ଼ରେ ଅଳ୍ପ ପାଣି ମିଶାଇ ଏହାକୁ ଭଲ ଭାବେ ଫେଣ୍ଟି ତରଳାଇ ଦିଅନ୍ତୁ ।
- ଅନ୍ୟ ଏକ ପାତ୍ରରେ ଘୀଅକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ ଓ ସେଥିରେ ମାଣ୍ଡିଆ ପାଉଡର,ବେକିଂ ସୋଢ଼ା, ଅଟା କ୍ଷୀରକୁ ମିଶାଇ ଭଲଭାବେ ଚକଡ଼ି ଦିଅନ୍ତୁ ।
- ଏହା ପରେ ଚକଡ଼ା ଯାଇଥିବା ସେହି ମାଣ୍ଡିଆ ଓ ଅନ୍ୟାନ୍ୟ ସାମଗ୍ରୀ ସହ ପୂର୍ବରୁ ତଲଳାଇ ରଖାଯାଇଥିବା ଗୁଡ଼କୁ ମିଶାଇ ପୁଣି ଥରେ ଭଲ ଭାବେ ଚକଡ଼ନ୍ତୁ ।
- ଚକଡ଼ା ଯାଇଥିବା ଏହି ମାଣ୍ଡିଆକୁ ୧୫ ମିନିଟ୍ ପାଇଁ ଉକ୍ତ ପାତ୍ରରେ ଏକ ଢାଙ୍କୁଣୀ ଦେଇ ଘୋଡ଼ାଇ ରଖି ଦିଅନ୍ତୁ ।
- ଏହା ପରେ ଏକ ବଟର ପେପର ନେଇ ଉକ୍ତ ମାଣ୍ଡିଆ ଚକଟା ଗୁଳାକୁ ଭଲ ଭାବେ ଗୁଡ଼ାଇ ଧିରେ ଧିରେ ତାକୁ ଏକ ବେଲଣା କାଠିରେ ବେଲି ପ୍ରଶସ୍ତ କରି ଦିଅନ୍ତୁ ।
- ପରେ ସେହି ପ୍ରଶସ୍ତ ଅଂଶକୁ ଏକ ଛୋଟ ଗ୍ଲାସର ଉପର ଭାଗ ସାହାଯ୍ୟରେ ଗୋଲ ଗୋଲ ଆକାର ଦେଇ କାଟି ଦିଅନ୍ତୁ ।
- ଏହା ପରେ ଏକ ଚଟକା ପାତ୍ର ନେଇ ତା ଉପରେ ବଟର ପେପର ରଖନ୍ତୁ, ଏବଂ ସେଥିରେ ଗୋଲାକୃତ ସେହି ବିସ୍କୁଟର କଞ୍ଚା ଅଂଶକୁ ସାମାନ୍ୟ ଦୂରତା ବ୍ୟବଧାନରେ ରଖି ଘରେ ଯଦି ଓଭାନ ଅଛି ସେଥିରେ ୨୫୦ଡିଗ୍ରୀ ସେଲସିୟସରେ ୧୦ ମିନିଟ୍ ପାଇଁ ଛାଡ଼ି ଦିଅନ୍ତୁ । ନଚେତ୍ ପ୍ରେସର କୁକର ବା ଏକ ବଡ଼ କଢ଼େଇରେ ଉକ୍ତ ପାତ୍ରକୁ ରଖି ଅଳ୍ପ ଆଞ୍ଚରେ ୧୦ ମିନିଟ ପାଇଁ ବସାନ୍ତୁ ।
- ତେବେ ବିସ୍କୁଟର କଞ୍ଚା ଅବସ୍ଥାରେ ସେଥିରେ ପୂର୍ବରୁ ରଖିଥିବା ଆଲମଣ୍ଡକୁ କାଟି ତା ଉପରେ ପକାଇଦେବେ ।
- ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଓ ହୀତକର ମାଣ୍ଡିଆ ବିସ୍କୁଟ୍ ।
ଏହାକୁ ନିଜେ ଖାଆନ୍ତୁ ଏବଂ ଆପଣଙ୍କ ପରିବାର ସଦସ୍ୟ ଓ ଆତ୍ମୀୟସଜନଙ୍କୁ ପରସନ୍ତୁ ।ଏହାକୁ ଡାଇବେଟିସ୍, ସୁଗାର ଏବଂ ବ୍ଲଡ ପ୍ରେସର ଥିବା ବ୍ୟକ୍ତିମାନେ ବି ଖାଇ ପାରିବେ ।
ଜାଣନ୍ତୁ କିପରି ଘରେ ତିଆରି କରିବେ ମାଣ୍ଡିଆ କେକ୍....
ଘରେ ତିଆରି କରନ୍ତୁ ମାଣ୍ଡିଆ ଲଡ଼ୁ, ଜାଣନ୍ତୁ ପ୍ରସ୍ତୁତୀ ପ୍ରଣାଳୀ....
Share your comments