ମିଲେଟ୍(Millet) ଉତ୍ପାଦନ ବା ମାଣ୍ଡିଆ ଚାଷକୁ ଏବେ ସବୁ ମହଲରୁ ପ୍ରୋତ୍ସାହନ ମିଳିବା ଆରମ୍ଭ ହୋଇଯାଇଛି ।ମାଣ୍ଡିଆ ଚାଷ, ଏହାର ପ୍ରକ୍ରିୟାକରଣ, ମାଣ୍ଡିଆ ଖାଦ୍ୟର ପ୍ରଚାର ପ୍ରସାର ପାଇଁ ଓଡ଼ିଶା ସରକାର ଏହି ପ୍ରୟାସ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଏହାକୁ ପ୍ରୋତ୍ସାହିତ କରାଯାଉଥିବା ଦେଖିବାକୁ ମିଳିଛି । ଏହା ସାଧାରଣ ଲୋକଙ୍କ ପାଖରେ ମାଣ୍ଡିଆର ଗୁରୁତ୍ୱ ଓ ଉପକାରିତାକୁ ପହଞ୍ଚାଇବାରେ ସାହାଯ୍ୟ କରିପାରିଥିବା ଦେଖିବାକୁ ମିଳିଛି । ଖାଦ୍ୟ ଓ କୃଷି ସଙ୍ଗଠନ(FAO) ପରିଷଦ ଦ୍ୱାରା ଅନୁମୋଦିତ ହୋଇଥିବା ଭାରତର ପ୍ରସ୍ତାବ ଅନୁସାରେ ୨୦୨୩ କୁ ସମଗ୍ର ବିଶ୍ୱ 'ଆନ୍ତର୍ଜାତୀୟ ମିଲେଟ ବର୍ଷ' ଭାବେ ପାଳନ କରିବାକୁ ଯାଉଛି । ମାଣ୍ଡିଆ ଚାଷ ଏବେ ବିଶ୍ୱରେ ଏକ ସୁସ୍ଥ ବିପ୍ଳବ ସୃଷ୍ଟି କରିବାକୁ ଯାଉଛି ।
ଦେଶ ବିଦେଶରେ ମାଣ୍ଡିଆର ରପ୍ତାନି ଓ ଆମଦାନି ଚାହିଦା ବଢ଼ିବା ପରେ ମାଣ୍ଡିଆ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ ଦୁଇପାଦ ବଢ଼ାଇ ଆଗକୁ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଦ୍ୱାରା ପାର୍ଲିଆମେଣ୍ଟରେ ଆୟୋଜିତ ହୋଇଥିଲା ମିଲେଟ୍ ଲଞ୍ଚ । ଯେଉଁଥିରେ ବିଭିନ୍ନ ଦଳର ନେତା ତଥା ସାଂସଦମାନେ ଏକାଠି ବସି ମାଣ୍ଡିଆରେ ପ୍ରସ୍ତୁତ ବ୍ୟଞ୍ଜନ ଗ୍ରହଣ କରିଥିଲେ । ସଂସଦରେ ବିଭିନ୍ନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ପରେ ମାଣ୍ଡିଆ ଲଞ୍ଚ ଟେବୁଲରେ ଏକାଠି ନଜର ଆସିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀଶ ଧନଖଡ଼ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ମିଲେଟ ଲଞ୍ଚ ପରେ ଟୁଇଟ୍ କରି ମାଣ୍ଡିଆର ଉପକାରିତା ଓ ସ୍ୱାଦ ବଖାଣିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥି ସହ ମିଲେଟ୍ ଲଞ୍ଚଲେ ଉପସ୍ଥିତ ଥିବା ସମସ୍ତ ସାଂସଦ ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ଓଡିଶା ସରକାର । ଯାହାକୁ ପ୍ରତ୍ସାହିତ କରିବା ଲକ୍ଷରେ ଆଗକୁ ଆସିଛନ୍ତି କେନ୍ଦ୍ର ସରକାର । ବିଶ୍ୱ ଦରବାରରେ ମାଣ୍ଡିଆ କିପରି ଏକ ନୂଆ ପରିଚୟ ପାଇ ପାରିବ ସେ ନେଇ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଯାଇଛି । ଆସନ୍ତା ବର୍ଷ ପାଳିତ ହେବାକୁ ଯାଉଥିବା ମିଲେଟ ବର୍ଷକୁ ସଫଳ କରିବା ପାଇଁ ସରକାର ନୂଆ ନୂଆ ପଦକ୍ଷେପମାନ ନେଉଥିବା ଦେଖିବାକୁ ମିଳିଛି । ମିଲେଟ ଚାଷୀଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ସହ ଆର୍ଥିକ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା କରୁଛନ୍ତି ସରକାର । ୨୦ ଜଣିଆ ଚାଷୀଙ୍କୁ ନେଇ ଏକ ଗ୍ରୁପ କରି ମାଣ୍ଡିଆ ଚାଷ(Millet Cultivation)୧୬ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି ସରକାର ।
ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ପାଇଁ ଓଡ଼ିଶା ସରକାର ତିଆରି କରିଥିବା ମଡେଲ କେନ୍ଦ୍ର ସରକାରଙ୍କ ଦ୍ୱାରା ଖୁବ ଆଦୃତ ହୋଇଥିବା ଦେଖିବାକୁ ମିଳିଛି । ତେଣୁ କେନ୍ଦ୍ର ମନ୍ତ୍ରାଳୟ ଓ ବିଭାଗ ଗୁଡ଼ିକରେ ହେବାକୁ ଥିବା ମିଟିଂ ଓ କ୍ୟାଣ୍ଟିନରେ ମାଣ୍ଡିଆ ପ୍ରସ୍ତୁତ ଲଡୁ, ମିକ୍ସଚର, ସ୍ନାକ୍ସ୍, ପୁରୀ, ଇଡଲି, ଦୋଷା ଓ ବିସ୍କୁଟ୍ ପରଷିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ସେତିକି ନୁହେଁ ନୀତି ଆୟୋଗ(Niti Aayog)ମଧ୍ୟ ଏହାକୁ ଏକାଧିକ ଥର ପ୍ରଶଂସା କରିଥବା ଦେଖିବାକୁ ମିଳିଛି ।
ତେବେ ମାଣ୍ଡିଆ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥିବା ବେଳେ ଏହାକୁ ସହଜରେ ଚାଷ କରାଯାଇପାରେ । ମିଲଟ୍ ମିଶନ ଜରିଆରେ ଚାଷୀମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ସରକାରୀ ସ୍ତରରେ ଚାଷ ସମ୍ୱନ୍ଧୀୟ ବୈଷୟିକ ସୂଚନା ପ୍ରଦାନ ସହ ତାଲିମ ପାଇଁ କର୍ମଶାଳା ମାନ ମଧ୍ୟ ଆୟୋଜନ କରୁଛନ୍ତି ସରକାର। କେବଳ ଏତିକି ନୁହେଁ, ବିଭିନ୍ନ ପଞ୍ଚାୟତରେ ମାଣ୍ଡିଆ ମଣ୍ଡି ଖୋଲି ଚାଷୀଙ୍କୁ ବିକ୍ରି କରିବାରେ ସହାୟକ ହେଉଛନ୍ତି । ଯାହାଫଳରେ ଚାଷୀ ନିଜର ଉତ୍ପାଦିତ ଫସଲକୁ ସିଧାସଳଖ ମଣ୍ଡିରେ ବିକ୍ରି କରିବାରେ ସଫଳ ହୋଇପାରୁଛି । ଏହାପରେ ଫସଲର ମୂଲ୍ୟ ଚାଷୀଙ୍କ ଟିଡିସିଏସ ଖାତାକୁ ସିଧାସଳଖ ଟଙ୍କା ପଠାଯାଉଛି ।
ପୂର୍ବରୁ ଆଦିବାସୀ ସଂପ୍ରଦାୟର ଲୋକେ ପାରମ୍ପରିକ ଭାବେ ମାଣ୍ଡିଆ, ସୁଆଁ, ବାଜରା ଭଳି କ୍ଷୁଦ୍ର ଶସ୍ୟ ଜାତୀୟ ଫସଲ ଚାଷ କରି ଆସୁଥିଲେ । ଯାହା ଅଳ୍ପ ଅମଳ ଦେବା ସହ କୃଷକଙ୍କର କ୍ଷତି ଘଟାଉଥିଲା । କିନ୍ତୁ ସରକାର ଏବେ ଜୈବିକ ପଦ୍ଧତିରେ ମାଣ୍ଡିଆ ଚାଷ କରିବା ପାଇଁ ପ୍ରୟାସ କରୁଛନ୍ତି । ସେଥିପାଇଁ କୃଷକଙ୍କୁ ଏକର ପିଛା ଦୁଇ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଉଛି । ଏଥିରେ ଜୈବିକ ପଦ୍ଧତିରେ ଚାଷ କରାଯାଉଥିବାରୁ ଜମିର ଉର୍ବରତା ବୃଦ୍ଧି ପାଇବା ସହ ଫସଲ ଉତ୍ପାଦନ ମଧ୍ୟ ବୃଦ୍ଧି ପାଉଛି । ଯାହାର ଫଳ ସ୍ୱରୂପ ଏବେ ଏକର ଏକର ଜମିରେ ଲହଡି ଭାଙ୍ଗୁଛି ମାଣ୍ଡିଆ ଫସଲ ।
Share your comments