ଏଣିକି ବଦଳୁଛି ପାଣିପାଗର ମିଜାଜ । ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ଚାରିଆଡେ ଘନ କୁହୁଡିର ଆସ୍ତରଣ ମଧ୍ଯ ଦେଖିବାକୁ ମିଳୁଛି । ଏଥି ସାଙ୍ଗକୁ ହାଲକା ହାଲକା ପବନ ବହିବା ସହିତ ଗଛ ଆଉ ପତ୍ରରେ କାକରର ଛିଟା ମଧ୍ଯ ଦେଖିବାକୁ ମିଳୁଛି ।
ସୂଚନା ଅନୁସାରେ, ସାଧାରଣତଃ ଜିଲ୍ଲା ଗୁଡିକ ମଧ୍ଯରେ କନ୍ଧମାଳ ଜିଲ୍ଲା, କଳାହାଣ୍ଡି ଜିଲ୍ଲା, ରାୟଗଡ଼ା ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, କୋରାପୁଟ ଜିଲ୍ଲା, ମାଲକାନଗିରି ଜିଲ୍ଲାରେ ପ୍ରବଳ କୁହୁଡ଼ି ରହିବ । ଯାହାଫଳରେ କି ଯାତାୟାତରେ ବହୁ ସମସ୍ୟା ହୋଇପାରେ ବୋଲି ଆଶଙ୍କା ରହିଛି । ଏଥିପାଇଁ ଗାଡି ଚାଳକମାନଙ୍କୁ ସତର୍କତାର ସହ ଗାଡ଼ି ଚଳାଇବା ପାଇଁ ପରାମର୍ଶ ମଧ୍ୟ ଦିଆଯାଇଛି । ଏଥିପାଇଁ ଗୁରୁବାର ଏବଂ ଶୁକ୍ରବାର ଦୁଇ ଦିନ ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।
ତେବେ ଗୁରୁବାର କନ୍ଧମାଳ ଜିଲ୍ଲା, କଳାହାଣ୍ଡି ଜିଲ୍ଲା, ରାୟଗଡ଼ା ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, କୋରାପୁଟ ଜିଲ୍ଲା ଓ ମାଲକାନଗିରି ଜିଲ୍ଲାରେ ଘନ କୁହୁଡ଼ି ଆଶଙ୍କାରେ ସତର୍କତା ଜାରି କରାଯାଇଛି । ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳ ଅଞ୍ଚଳର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରି କହିଛି ।
ସେହିଭଳି ଶୁକ୍ରବାର ମଧ୍ୟ ଘନ କୁହୁଡ଼ି ଆଶଙ୍କା ଅଛି । ସୋନପୁର ଜିଲ୍ଲା, ବୌଦ୍ଧ ଜିଲ୍ଲା, ନୟାଗଡ ଜିଲ୍ଲା, କନ୍ଧମାଳ ଜିଲ୍ଲା, ବଲାଙ୍ଗୀର ଜିଲ୍ଲା, କଳାହାଣ୍ଡି ଜିଲ୍ଲା, ରାୟଗଡା ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, ମାଲକାନଗିରି ଜିଲ୍ଲା ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡି ରହିବ ବୋଲି ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ମଧ୍ଯ ହୋଇଛି । ୯ ତାରିଖ ଯାଏଁ କୁହୁଡି ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ପ୍ରକାଶ ଥାଉ ଯେ, ସେପଟେ ରାଜ୍ୟରେ ଏଣିକି ଶୀତ କମିବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ।
ଭୁବନେଶ୍ୱର ସମେତ ଜଗତସିଂହପୁର, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ରାତି ତାପମାତ୍ରା ବହୁ ବଢିବ । ଆଭ୍ୟନ୍ତରୀଣ ଓଡିଶାରେ ମଧ୍ୟ ୯ ତାରିଖ ଯାଏଁ ପ୍ରାୟ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିଯିବ ବୋଲି ସେ ପୂର୍ବାନୁମାନ ଲଗାଇଛନ୍ତି ।
Share your comments