ଆମ୍ବର ମଣିଷ: କିଷାନ ସୁମନ

Monday, 31 May 2021 05:40 PM
Mango Man Kisan Suman

Mango Man Kisan Suman

ଫଳର ରାଜା ଆମ୍ବ l ଏବେ ଗ୍ରୀଷ୍ମ ଋତୁ ଆସିଯାଇଛି l ବଜାରରେ ଦେଖିବାକୁ ମିଳିବ ଭଳିକି ଭଳି ଆମ୍ବ l ସମସ୍ତେ ତ କେବଳ ଗ୍ରୀଷ୍ମ ଋତୁରେ ସୁସ୍ୱାଦୁ ଆମ୍ବର ଅପେକ୍ଷାରେ ରହିଥାଆନ୍ତି l କିନ୍ତୁ ସମୟ ଏବେ ବଦଳିଛି, ଆମ୍ବ ଖାଇବାକୁ ଆପଣଙ୍କୁ କେବଳ ଗ୍ରୀଷ୍ମ ଋତୁକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ l ଆପଣ ଆମ୍ବକୁ ବର୍ଷର ଯେ କୌଣସି ସମୟରେ ପାଇପାରିବେ l ହଁ ଏହାକୁ ସତ କରି ଦେଇଛନ୍ତି ରାଜସ୍ଥାନର କୋଟା ନିବାସୀ ଜନୈକ କୃଷକ, ଶ୍ରୀଯୁକ୍ତ କିଷାନ ସୁମନ l ନିଜର କଠିନ ପରିଶ୍ରମ ଏବଂ ପ୍ରଚେଷ୍ଟା ପାଇଁ ସେ ସମସ୍ତଙ୍କ ଠାରୁ ଧନ୍ୟବାଦ ଏବଂ ପ୍ରଶଂସା ପାଉଛନ୍ତି l ସେ ବାମନ କିସମର ଏକ ଆମ୍ବ ଚାରାର ବିକାଶ କରାଇଛନ୍ତି, ଏହାର ନାମ ରଖିଛନ୍ତି ସଦାବାହାର ଆମ୍ବ l ଏହି କିସମର ଆମ୍ବ ଚାରା ପ୍ରସ୍ତୁତ କରିବା ପାଇଁ ତାଙ୍କୁ ୨୦ ବର୍ଷ ସମୟ ଲାଗିଯାଇଥିଲା l ଏହା ଏବେ ଦେଶର ସହରାଞ୍ଚଳରେ ବେଶ ଆଦୃତ ଲାଭ କରିବା ସଙ୍ଗେ ସଙ୍ଗେ ନେପାଳ, ଇଟାଲୀ, ଆମେରିକା ଭଳି ବିଦେଶରେ ମଧ୍ୟ ପ୍ରସିଦ୍ଧି ଅର୍ଜନ କରିଛି l ଏହି ନୂତନ କିସମ ଆମ୍ବର ବିଶେଷତା ହେଉଛି ଯେ, ଆପଣ ଏହାକୁ ପାତ୍ରରେ ମଧ୍ୟ ଲଗାଇପାରିବେ !

ଏହି ସଦାବାହାର ଆମ୍ବ ସମ୍ପର୍କରେ ଶ୍ରୀଯୁକ୍ତ କିଷାନ ସୁମନଙ୍କ ସହିତ ଏକ ବିଶେଷ ସାକ୍ଷାତକାର କରିଛନ୍ତି କୃଷି ଜାଗରଣ ସଂସ୍ଥାର ସିପ୍ରା ସିଂ l ଏହାକୁ ଆମେ କିପରି ରୋଷେଇଶାଳ ବଗିଚାରେ ପାତ୍ରରେ ଆମେ ଲଗାଇପାରିବା ଏବଂ ବର୍ଷ ସାରା ଫଳ ପାଇପାରିବା ସେ ସମ୍ପର୍କରେ ଆମକୁ ବିଶେଷ ବିବରଣୀ ଏହି ସାକ୍ଷାତକାର ମାଧ୍ୟମରେ ପ୍ରଦାନ କରିଛନ୍ତି l

୧. ଶ୍ରୀଯୁକ୍ତ କିଷାନ, ଆପଣ କେବେ ଏହି କିସମର ଆମ୍ବର ବିକାଶ କରିଲେ ?

ଉତ୍ତର- ମୁଁ ୨୦୦୦ ମସିହାରେ ଏହି କିସମର ଆମ୍ବର ବିକାଶ କଲି, କିନ୍ତୁ ୨୦୧୫ ମସିହାରେ ଏହା ପଞ୍ଜିକୃତ ହେଲା I ମୁଁ ଲକ୍ଷ୍ୟ କଲି ଯେ, ଚାଷୀମାନେ ଆମ୍ବ ଚାଷରେ ଅଧିକ ପଇସା ଖର୍ଚ୍ଚ କରୁଛନ୍ତି ଏବଂ ସେହି ଅନୁସାରେ ଲାଭ ପାଉନାହାଁନ୍ତି, କାରଣ ଆମ୍ବ ବର୍ଷକୁ ଥରେ ମାତ୍ର ହେଉଛି, ବେଳେ ବେଳେ ଏମିତି ବି ହେଉଛି ଗୋଟିଏ ବର୍ଷ ଫଳ ଆସିଲା ପରେ ପରା ବର୍ଷ ମଧ୍ୟ ଫଳ ଆସୁନାହିଁ l ସେଇଥିପାଇଁ ବର୍ଷ ସାରା ଫଳ ହେଉଥିବା ଗୋଟିଏ କିସମ ସୃଷ୍ଟି କରିବା ପାଇଁ ମୁଁ ଚିନ୍ତା କଲି l

୨. ଏହି କିସମର ଆମ୍ବ ବିକାଶ କରିବା ସମୟରେ ଆପଣ କେଉଁ ସବୁ ସମସ୍ୟାଗୁଡିକର ସାମ୍ନା କରିଥିଲେ ?

 ଉତ୍ତର-ଲୋକମାନେ ମୋତେ ପାଗଳ ବୋଲି କହିବାକୁ ଲାଗିଲେ l ସେମାନେ ମୋତେ ନିରୁତ୍ସାହିତ କରି କହିଲେ ମୁଁ ଏଭଳି ବାମନ କିସମର ଆମ୍ବ ଚାରା ସୃଷ୍ଟି କରିବା ପ୍ରଚେଷ୍ଟା ଛାଡ଼ି ଦେବା ଉଚିତ l କିନ୍ତୁ, ଭଗବାନଙ୍କ ଉପରେ ମୋର ବିଶ୍ୱାସ ଥିଲା l ମୁଁ ଦୃଢ଼ ସଂକଳ୍ପ ଥିଲି ଏବଂ ଭଗବାନ ମୋର ପରିଶ୍ରମର ଫଳ ମୋତେ ଦେଇଛନ୍ତି l

୩. ଆପଣଙ୍କ ଆମ୍ବ ଚାଷର ବିଶେଷତା କଣ ?

ଉତ୍ତର- ମୁଁ କେବେ ବି ରାସାୟନିକ ସାର ବ୍ୟବହାର କରେ ନାହିଁ l  ମୁଁ କେବଳ ଜୈବିକ ସାର ବ୍ୟବହାର କରେ, ଯଥା "ଗୋବର" (ଗାଈ ଗୋବର), "ଗୋ ମୂତ୍ର" (ଗାଈ ମୂତ୍ର), ଓ ଜିଆ ଖତ l 

୪. ଆପଣଙ୍କ ଆମ୍ବ କିସମର ଅମଳ କିପରି ?

ଉତ୍ତର- ବ୍ୟବସାୟିକ ଚାଷରେ ଏହି ବାମନ କିସମର ଆମ୍ବ ବର୍ଷକୁ 200-250 କ୍ୱିଣ୍ଟାଲ ଅମଳ ପ୍ରଦାନ କରେ l ଯଦି ଆପଣ ରୋଷେଇଶାଳ ବଗିଚା କିମ୍ବା ପାତ୍ରରେ ଏହା ଲଗାଇବେ ତେବେ ଆପଣ ସହଜରେ ଗଛ ପିଛା 50 କେ.ଜି. ଅମଳ ପାଇପାରିବେ l

5. ଏହି ଆମ୍ବ କିସମ ଲଗାଇବା ସମୟରେ ଆମେ କେଉଁ ପ୍ରକାରର ଯତ୍ନ ନେବା ଉଚିତ ?

ଉତ୍ତର- ଏହି ଆମ୍ବ କିସମଟି ଅଳ୍ପ ଯତ୍ନ ଆବଶ୍ୟକ କରେ l ଆମ୍ବ ଫସଲରେ ଦେଖାଯାଉଥିବା ମୁଖ୍ୟ ବିକୃତି ରୋଗଗୁଡିକ ପ୍ରତି ଏହାର ସହନଶୀଳତା ରହିଛି l ଅଧିକାଂଶ ରୋଗ ଏବଂ ପୋକମାନଙ୍କ ପ୍ରତି ମଧ୍ୟ ଏହାର ସହନଶୀଳତା ରହିଛି l ଦେଶର ଯେ କୌଣସି ମାଟି ଏବଂ ଜଳବାୟୁରେ ଏହା ବଢ଼ି ପାରିବ l ମାଟି କେବଳ ନିଗିଡ଼ା ହୋଇଥିବା ଦରକାର l

୬. ଆମେ ପାତ୍ରରେ କିପରି ଏହି ଆମ୍ବକୁ ଲଗାଇବୁ ?

ଉତ୍ତର- ଆପଣ ସହଜରେ ଏହି ଆମ୍ବ ଚାରାକୁ ୨୦୦ ଲିଟର ଡ୍ରମରେ ଲଗାଇପାରିବେ l ଏହି ଡ୍ରମକୁ ଦୁଇ ଭାଗ କରି କାଟି ଦିଅନ୍ତୁ, ଏଥିରେ ମାଟି ଭର୍ତି କରି ଦିଅନ୍ତୁ ଏବଂ ଚାରାକୁ ଲଗାଇ ଦିଅନ୍ତୁ l ଆପଣ ପାତ୍ରରେ ଚାରା ଲଗାଇ ୭-୮ ବର୍ଷ ରଖିପାରିବେ l

୭. ଆହୁରି ମଧ୍ୟ ଗୋଲାପ ଫୁଲର ବିଭିନ୍ନ କିସମ ବାହାର କରିଛନ୍ତି l ସେ ସମ୍ପର୍କରେ ଆମକୁ କିଛି କୁହନ୍ତୁ l

ଉତ୍ତର- ହଁ, ଆମେ ଧାନ ଓ ଗହମ ଚାଷ କରୁଥିଲୁ l ଏହି ଫସଲଗୁଡ଼ିକ ଉପରେ ରୋଗ ପୋକ ଆକ୍ରମଣ ଯୋଗୁଁ ଆମେ ବହୁତ କ୍ଷତି ସହୁଥିଲୁ ଏବଂ ଆମେ ଅଳ୍ପ ଆୟ ପାଉଥିଲୁ l ତାହା ପରେ ଆମେ ଭଲ ଆୟ ପାଇବା ଫସଲ ବିଷୟରେ ଭାବିଲୁ l ମୁଁ ପନିପରିବା ଚାଷ କଲି l କିନ୍ତୁ ମୁଁ ବହୁତ ରାସାୟନିକ ସାର ବ୍ୟବହାର କରିପାରିଲି ନାହିଁ, କାରଣ ସେଗୁଡ଼ିକ ମଣିଷର ସ୍ୱାସ୍ଥ୍ୟ ପ୍ରତି ହାନୀକାରକ ଅଟେ l ମୋର ବିବେକ ମୋତେ ବାଧା ଦେଲା l ତେଣୁ ମୁଁ ଗେଣ୍ଡୁ ଫୁଲ, ଗୋଲାପ ଫୁଲ ଓ ଅନ୍ୟାନ୍ୟ ଋତୁକାଳୀନ ଫୁଲ ଚାଷ କରିବା ଆରମ୍ଭ କଲି l ସେଥିରୁ ମୋତେ ଭଲ ଆୟ ମିଳୁଛି l ତାହା ପରେ ମୁଁ ଆମ୍ବ ଲଗାଇବା ଆରମ୍ଭ କଲି l

ଆପଣଙ୍କର ପରବର୍ତ୍ତୀ ପ୍ରଚେଷ୍ଟା କଣ ରହିଛି ?

ଉତ୍ତର- ମୁଁ ପଣସ ବିଷୟରେ ପରୀକ୍ଷା କରିବା ପାଇଁ ଚିନ୍ତା କରୁଛି l ଏହି ଫଳର ବହୁତ ସମ୍ଭାବନା ରହିଛି କିନ୍ତୁ ଚାଷୀମାନେ ଏହା କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାଁନ୍ତି, କାରଣ ଫଳ ହେବା ପାଇଁ ଏହାକୁ ପ୍ରାୟ ୧୦ ବର୍ଷ ଲାଗିଥାଏ l ଶୀଘ୍ର ଫଳ ହେଉଥିବା ଗୋଟିଏ ପଣସ କିସମ ସୃଷ୍ଟି କରିବାକୁ ମୁଁ ଇଛା କରୁଛି l 

କୃଷି ଜାଗରଣ ଟିମ୍, ଶ୍ରୀଯୁକ୍ତ କିଷାନ ସୁମନଙ୍କର ସମସ୍ତ ଭବିଷ୍ୟତ ପ୍ରଚେଷ୍ଟା ନିମନ୍ତେ ମଙ୍ଗଳ କାମନା କରୁଛି l

Mango Man Kisan Suman Hybrid Mango Hybrid Mango Variety

Share your comments